OTV Impact Brings Relief: ଓଟିଭିର ବଡ ପ୍ରଭାବ, ଗାଁରେ ପହଞ୍ଚିଲା ପ୍ରଶାସନ ଖୋଲିଲା ସମାଧାନର ବାଟ

Nov 01, 2026 - 18:43
OTV Impact Brings Relief: ଓଟିଭିର ବଡ ପ୍ରଭାବ, ଗାଁରେ ପହଞ୍ଚିଲା ପ୍ରଶାସନ ଖୋଲିଲା ସମାଧାନର ବାଟ

ପାଞ୍ଚ ଦିନ ତଳେ ନିଜ ଗାଁରେ ଶିକ୍ଷାର ଦୁରବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ।

ଆଧାର କାର୍ଡ ନଥିବାରୁ ପିଲାମାନେ ପାଠପଢ଼ା ଛାଡ଼ୁଥିବା ଅଭିଯୋଗ କରିବା ସହ ପ୍ରଶାସନର ଉଦାସୀନତାକୁ ନେଇ ଉଠାଇଥିଲେ ପ୍ରଶ୍ନ।

ହେଲେ ଆଜି ସେହି ବାୟାଙ୍କ ମୁହଁରେ ଖୁସି।

କାରଣ, ଓଟିଭିରେ ଖବର ପ୍ରସାରଣ ପରେ ଦାମାସାହି ଗାଁରେ ପହଞ୍ଚିଛି ପ୍ରଶାସନ।

ଆରମ୍ଭ ହୋଇଛି ପିଲାଙ୍କ ପାଠପଢ଼ା ପାଇଁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତି।

Advertisment ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଜେ.ଏସ୍.

ଜାମୁଡ଼ିହା ପଞ୍ଚାୟତର ଦାମାସାହି ଗାଁ।

ଏଠାରେ ରହୁଥିବା ମାଙ୍କିଡ଼ିଆ ଜନଜାତିର ୧୫ରୁ ଅଧିକ ପିଲା ଆଧାର କାର୍ଡ ଅଭାବରୁ ଶିକ୍ଷାରୁ ବଞ୍ଚିତ ହୋଇଥିଲେ।

ଏପରିକି ନିଜ ଜନଜାତିର ପ୍ରଥମ ମ୍ୟାଟ୍ରିକୁଲେଟ୍ ଭାବେ ଗୌରବ ଆଣିଥିବା ବାୟା ମାଙ୍କିଡ଼ିଆଙ୍କ ପୁଅ ଓ ଝିଅ ମଧ୍ୟ ପାଠପଢ଼ା ଅଧାରୁ ଛାଡ଼ିଥିଲେ।

ଶିକ୍ଷାରୁ ବଞ୍ଚିତ ହୋଇ କୁନି କୁନି ପିଲା ଦିନମଜୁରିଆ ଭାବେ କାମ କରିବାକୁ ବାଧ୍ୟ ହେଉଥଲେ।

ଏହି ସମସ୍ୟାକୁ ନେଇ ଆମେ ଗ୍ରାଉଣ୍ଡ ଜିରୋରୁ ଖବର ପ୍ରସାରଣ କରିଥିଲୁ।

ଦେଖାଇଥିଲୁ, କିପରି ଗୋଟିଏ ଆଧାର କାର୍ଡ ଅଭାବରୁ ଏକ ଜନଜାତିର ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି।

ଆଉ ଏହି ଖବର ପରେ ଏବେ ଗାଁରେ ପହଞ୍ଚିଛି ପ୍ରଶାସନିକ ଟିମ୍।

ଆଧାର କାର୍ଡ ନଥିବା ପରିବାର ଓ ପିଲାଙ୍କ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ଆରମ୍ଭ ହୋଇଛି ତଥ୍ୟ ସଂଗ୍ରହ।

ପ୍ରଥମେ ଜନ୍ମ ପ୍ରମାଣପତ୍ର, ତା'ପରେ ଆଧାର କାର୍ଡ।

ଏହି ପ୍ରକ୍ରିୟା ଶେଷ ହେଲେ ପିଲାଙ୍କ ପାଠପଢ଼ାରେ ଥିବା ବଡ଼ ପ୍ରତିବନ୍ଧକ ଦୂର ହେବ ବୋଲି ଆଶା ବାନ୍ଧିଛନ୍ତି ଗ୍ରାମବାସୀ।

ଖବର ପ୍ରସାରଣର ପ୍ରଭାବ ଏବେ ଗାଁରେ ସ୍ପଷ୍ଟ ଦେଖିବାକୁ ମିଳିଛି।

ଦୀର୍ଘ ଦିନ ଧରି ଯେଉଁ ସମସ୍ୟାକୁ ନେଇ ମାଙ୍କିଡ଼ିଆ ପରିବାର ହଇରାଣ ହେଉଥିଲେ, ତାହାର ସମାଧାନ ପାଇଁ ଏବେ ତତ୍ପର ହୋଇଛି ପ୍ରଶାସନ।

ଗୋଟିଏ ବିଭାଗ ନୁହେଁ, ବିଭିନ୍ନ ବିଭାଗର ଅଧିକାରୀ ଏକାଠି ହୋଇ ଗାଁରେ ପହଞ୍ଚିଛନ୍ତି।

ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଏଏନ୍ ଏମ୍ , ଶିଶୁ ବିକାଶ ବିଭାଗ ଓ ମେଡିକାଲ୍ ଟିମ୍ ଘରକୁ ଘର ବୁଲି ଆବଶ୍ୟକ ତଥ୍ୟ ଓ କାଗଜପତ୍ର ସଂଗ୍ରହ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୮ ଜଣଙ୍କ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ତଥ୍ୟ ସଂଗ୍ରହ କରାଯାଇଛି।

ଜନ୍ମ ପ୍ରମାଣପତ୍ର ମିଳିବା ପରେ ସେମାନଙ୍କ ଆଧାର କାର୍ଡ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯିବ।

ଏହାଦ୍ୱାରା ପରିଚୟପତ୍ର ଅଭାବରୁ ଶିକ୍ଷା ସହ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ପରିବାରଗୁଡ଼ିକ ଉପକୃତ ହୋଇପାରିବେ।

ପର୍ଯ୍ୟାୟକ୍ରମେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବା ସହ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କପ୍ତିପଦା ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ।

Advertisment ଦିନେ ଯେଉଁ ଗାଁରେ ଶିକ୍ଷାର ଆଲୋକ ପହଞ୍ଚିବା ବାଟରେ ଅନେକ ପ୍ରତିବନ୍ଧକ ଥିଲା, ଆଜି ସେହି ଗାଁରେ ଆଶାର ଆଲୋକ ଦେଖାଦେଇଛି।

ଖବର ପ୍ରସାରଣ ପରେ ପ୍ରଶାସନର ପଦକ୍ଷେପ ଗ୍ରାମବାସୀଙ୍କ ମନରେ ନୂଆ ଆଶା ଭରିଛି।

ଏବେ ଅପେକ୍ଷା, କେବେ ସବୁ ପିଲାଙ୍କ ହାତରେ ପହଞ୍ଚିବ ଆବଶ୍ୟକ ପରିଚୟପତ୍ର, କେବେ ପୁଣି ଖୋଲିବ ପାଠପଢ଼ାର ବାଟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।