Simple idea: ସରଳ ବିଚାର: ଏଣିକି ଚିନି କମ୍
"ସରଳ କୁମାର ଦାସ ବଜାରରେ ଜୁଲାଇ ମାସ ଚିନି ଦର କେଜି ପ୍ରତି ୪୬ ଟଙ୍କା ଥିଲାବେଳେ ଅଗଷ୍ଟ ମାସ ଶେଷ ସୁଦ୍ଧା ୭୦ ଟଙ୍କାରେ ପହଞ୍ଚିଗଲା; ଅର୍ଥାତ୍ ମାତ୍ର ଦେଢ଼ ମାସ ମଧ୍ୟରେ ପ୍ରାୟ ଦେଢ଼ଗୁଣ ବୃଦ୍ଧି।
ଏହି ଦରବୃଦ୍ଧି ପାଇଁ ସରକାର ପ୍ରଶ୍ନର ସମ୍ମୁଖୀନ ହେଲେ।
ଖାଉଟିମାନେ ମଧ୍ୟ ଆନ୍ଦୋଳିତ ହେଲେ ଯେ ହଠାତ୍ ଚିନିର ଦର ବଢ଼ିଲା କାହିଁକି?
ଏହାକୁ ଏଡ଼ାଯାଇ ପାରିଥାନ୍ତା କି?
ଭାରତୀୟ ପରିବାର ସକାଶେ ଚିନି ଏକ ଅତ୍ୟାବଶ୍ୟକ ଦ୍ରବ୍ୟ।
ଭାରତୀୟଙ୍କ ମୁଣ୍ଡପିଛା ଚିନିର ବ୍ୟବହାର ବାର୍ଷିକ ପ୍ରାୟ ୨୦ କିଲୋଗ୍ରାମ।
ଭାରତରେ ଚିନି ବ୍ୟବହାରର ବାର୍ଷିକ ପରିମାଣ ପ୍ରାୟ ୨.୮୫ କୋଟି ଟନ୍, ଯାହା ପୃଥିବୀରେ ସର୍ବାଧିକ।
ଏଣେ, ଚିନି ଉତ୍ପାଦନକାରୀ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ସାରା ବିଶ୍ୱରେ, ବ୍ରାଜିଲ ପଛକୁ, ଦ୍ୱିତୀୟ।
୨୦୨୩-୨୪; ଚିନି ବର୍ଷ (ଅକ୍ଟୋବର, ୨୦୨୩ରୁ ସେପ୍ଟେମ୍ବର ୨୦୨୪)ରେ ଦେଶରେ ୩.୨୦ କୋଟି ଟନ ଚିନି ଉତ୍ପାଦିତ ହୋଇଥିଲା, ଅର୍ଥାତ୍ ଦେଶର ଚିନି ଚାହିଦାକୁ ମେଣ୍ଟାଇବା ଲାଗି ଯଥେଷ୍ଟ।
୨୦୨୪-୨୫ ଚିନି ବର୍ଷରେ ଇଥାନଲ ଉତ୍ପାଦନ ଲାଗି ଚିନିର ବ୍ୟବହାର ହେତୁ ଖାଉଟିଙ୍କ ଲାଗି ଚିନି ଉତ୍ପାଦନ ଓ ଉପଲବ୍ଧତା ୨.୯୫ କୋଟି ଟନକୁ ଖସି ଆସିଥିଲା।
ଉଲ୍ଲେଖଯୋଗ୍ୟ ଯେ ଚଳିତ ୨୦୨୫-୨୬ ଚିନି ବର୍ଷରେ ପ୍ରାୟ ୨୭.୫ ଲକ୍ଷ ଟନ (୯ ପ୍ରତିଶତ) ଚିନି ଇଥାନଲ ଉତ୍ପାଦନ ଲାଗି ବ୍ୟବହୃତ ହୋଇଥିବାରୁ ଖାଉଟି ବ୍ୟବହାର ଲାଗି ୩.୦୬ କୋଟି ଟନ୍ ଚିନି ଉତ୍ପାଦିତ ହୋଇଛି।Advertisment Rajnath Singh : ନେପାଳ ଦୂତାବାସ ପରିଦର୍ଶନ କଲେ ରାଜନାଥ; କହିଲେ, ନୂଆଦିଲ୍ଲୀ-କାଠମାଣ୍ଡୁ ସୁଖ ଓ ଦୁଃଖର ସାଥୀ ଏବେ ଦେଶରେ ଚିନି ଦର ହଠାତ୍ ହୁ ହୁ ହୋଇ ବଢ଼ିବା ପଛର କାରଣଗୁଡ଼ିକୁ ଦେଖାଯାଉ।
୨୦୨୫-୨୬ ଚିନି ବର୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟରେ ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ଜଳବାୟୁ ଜନିତ କାରଣ ଯୋଗୁଁ ଆଖୁ ଉତ୍ପାଦନ ୫୦ କୋଟି ଟନରେ ସୀମିତ ଥିଲା।
କମ୍ ଆଖୁ ହେତୁ ଚିନି ଉତ୍ପାଦନ ହ୍ରାସ ପାଇଲା।
ତା" ଛଡ଼ା ଗତ ୨ ବର୍ଷ ମଧ୍ୟରେ ଆଖୁଚାଷ ହେଉଥିବା ଜମିର କ୍ଷେତ୍ରଫଳ କମିବାରେ ଲାଗିଛି।
ଅଧିକନ୍ତୁ ୨୦୨୫ ମସିହା ଅକ୍ଟୋବର ପହିଲା (୨୦୨୫-୨୬ ଚିନି ବର୍ଷ ଆରମ୍ଭ)ରେ ଦେଶରେ ୪୭.୪ ଲକ୍ଷ ଟନ ଚିନି ଗଚ୍ଛିତ ଥିଲାବେଳେ ୨୦୨୬ ମସିହା ଅକ୍ଟୋବର ପହିଲା (୨୦୨୬-୨୭ ଚିନି ବର୍ଷର ଆରମ୍ଭ)ରେ ତାହା ୩୫ ଲକ୍ଷ ଟନକୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି, ଯାହା ଚିନ୍ତାଜନକ।
ଫଳରେ, ଚିନି ଅଭାବର ଧାରଣାଟିଏ ସୃଷ୍ଟି ହୋଇଛି।
ଅନ୍ୟ ପକ୍ଷରେ ପାର୍ବଣ ଋତୁରେ ଚିନିର ବିପୁଳ ଚାହିଦା ମେଣ୍ଟାଇବା ଲାଗି ବ୍ୟବସାୟୀମାନେ ଆଗତୁରା ଅଧିକ ପରିମାଣରେ ଚିନି ମହଜୁଦ ରଖୁଛନ୍ତି।
ଏହାର ସୁଯୋଗ ନେଇ କିଛି ମୁନାଫାଖୋର ବ୍ୟବସାୟୀ ଓ ମହଜୁଦକାରୀ ଚିନିକୁ ବଜାରକୁ ନ ଛାଡ଼ି ମହଜୁଦ କରି ରଖୁଛନ୍ତି।
ତେଣୁ ଚିନିର ଅଭାବ ଆହୁରି ଉତ୍କଟ ହୋଇ ଦର ବଢ଼ୁଛି।
ଆଖୁରୁ ଇଥାନଲ ଉତ୍ପାଦନ ମଧ୍ୟ ଚିନି ଦରବୃଦ୍ଧି ଲାଗି କିଛି ପରିମାଣରେ ଦାୟୀ ବୋଲି କୁହାଯାଉଛି।
ତେବେ, ଅସାଧୁ ଉପାୟରେ ମହଜୁଦ କରିବା ହିଁ ଚିନି ଦରବୃଦ୍ଧିର ସବୁଠାରୁ ବଡ଼ କାରଣ ବୋଲି ବୁଝିବାକୁ ହେବ।
ଅବଶ୍ୟ, ଚିନି ଦରକୁ ନିୟନ୍ତ୍ରଣ କରିବା ଲାଗି ସରକାର ତୁରନ୍ତ କିଛି ପଦକ୍ଷେପ ନେଇ ଅକ୍ଟୋବର ୩୧ ସୁଦ୍ଧା ବିଦେଶରୁ ଶୁଳ୍କ-ମୁକ୍ତ ଭାବେ ୧୦ ଲକ୍ଷ ଟନ ଚିନି ଆମଦାନି କରିବା କଥା ଘୋଷଣା କରିଛନ୍ତି।
ରପ୍ତାନି ଲାଗି ଉଦ୍ଦିଷ୍ଟ କିଛି ପରିମାଣର ଚିନିକୁ ଘରୋଇ ବଜାରରେ ବିକ୍ରି କରିବା ଲାଗି କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଭଣ୍ଡାରରେ ମହଜୁଦ ଥିବା ଚିନିର ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
କମ୍ପାନି ସ୍ତରରେ ମହଜୁଦକୁ କମାଇବା ଲାଗି ପୂର୍ବର ମାସିକିଆ କୋଟା ବ୍ୟବସ୍ଥା ବଦଳରେ ସେପ୍ଟେମ୍ବର ମାସରୁ ପାକ୍ଷିକ କୋଟା ବ୍ୟବସ୍ଥାର ପ୍ରଚଳନ ହେଲେ ବଜାରକୁ ଅଧିକ ପରିମାଣରେ ଚିନି ଆସିବ।
ନୂଆ ଚିନି ବର୍ଷରେ ମିଲଗୁଡ଼ିକରେ ଅକ୍ଟୋବର ୧୫ରୁ ଆଖୁ ପେଡ଼ା ଆରମ୍ଭ ହେଲେ ଅକ୍ଟୋବର ମାସ ଶେଷ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଟନ୍ ଚିନି ଉତ୍ପାଦିତ ହେବ ବୋଲି ଆଶା କରାଯାଏ।
ଫଳରେ କୁହାଯାଉଛି ଯେ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନିର ମୂଲ୍ୟ ହ୍ରାସ ପାଇପାରେ।ତେବେ, ପ୍ରଶ୍ନ ହେଉଛି ଜୁଲାଇ ମାସ ପୂର୍ବରୁ ଚିନିର ଉତ୍କଟ ଅଭାବ ସମ୍ପର୍କରେ ସରକାର ଅବଗତ ନ ଥିଲେ କି?
ଭାରତ ସରକାରଙ୍କ "ଖାଉଟି ବ୍ୟାପାର ବିଭାଗ" ଅନ୍ତର୍ଗତ "ମୂଲ୍ୟ ନିରୀକ୍ଷଣ ପ୍ରଭାଗ" ଦ୍ୱାରା ଚିନି ଓ ଅନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକର ଦର ନିରୀକ୍ଷଣ, ଦର ବିଶ୍ଳେଷଣ ସହିତ ଭବିଷ୍ୟତ ଦରର ପୂର୍ବାନୁମାନ ନିୟମିତ ଅନ୍ତରାଳରେ କରାଯାଇ ଉଚ୍ଚସ୍ତରୀୟ "ସଚିବ କମିଟି" (ସି.ଓ.ଏସ.) ଓ "ଅର୍ଥନୈତିକ ମାମଲାର ସଚିବଙ୍କ କମିଟି" (ସି.ସି.ଇ.ଏ.)ଙ୍କୁ ପ୍ରଦାନ କରାଯାଇଥାଏ।
ତେଣୁ, ଏହା ନିଃସନ୍ଦେହ ଯେ ସରକାର ଚିନିର ଗଚ୍ଛିତ ଭଣ୍ଡାର, ଦର ଓ ବଜାର ଗତିବିଧି ସମ୍ପର୍କରେ ନିଶ୍ଚିତ ରୂପେ ଅବଗତ ଥିବେ।
ମେ ମାସରେ ମିଲ୍ ସ୍ତରରେ ଦରବୃଦ୍ଧି ସମ୍ପର୍କରେ ସୂଚନା ମିଳିବାକୁ ଲାଗିଥିଲା।
ଫଳରେ ମେ ୧୩ ତାରିଖରେ ସରକାର ସେପ୍ଟେମ୍ବର ମାସ ଯାଏଁ ଚିନି ରପ୍ତାନି ଉପରେ ନିଷେଧାଦେଶ ଜାରି କଲେ।
କିନ୍ତୁ, ସେତେବେଳକୁ ଦେଶରୁ ପ୍ରାୟ ୮ ଲକ୍ଷ ଟନ ଚିନି ରପ୍ତାନି ହୋଇସାରିଥିଲା।
ଚିନି ରପ୍ତାନି ନିଷେଧ ନିଷ୍ପତ୍ତି ଆଉ କିଛି ଦିନ ପୂର୍ବରୁ କାର୍ଯ୍ୟକାରୀ ହୋଇଥିଲେ ହୁଏତ ଦେଶରେ ଚିନିର ଗଚ୍ଛିତ ଭଣ୍ଡାରର ସ୍ଥିତି ଅପେକ୍ଷାକୃତ ଭଲ ଥାଆନ୍ତା।
କେବଳ ସେତିକି ନୁହେଁ, ମେ ମାସରୁ ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ମହଜୁଦକାରୀମାନେ ହୁଏତ ଚିନିର କୃତ୍ରିମ ଅଭାବ ସୃଷ୍ଟି କରିବାକୁ ସୁଯୋଗ ପାଇନ ଥାଆନ୍ତେ।
ଏହା ସହିତ ଆଖୁରସକୁ ଇଥାନଲ ଉତ୍ପାଦନରେ କମ୍ ବ୍ୟବହାର କରିଥିଲେ ଚିନି ଅଭାବ କିଛିଟା ଲାଘବ ହେଇିଥାଆନ୍ତା; ଅର୍ଥାତ୍ ଅନ୍ତଃ-ମନ୍ତ୍ରାଳୟ ସମନ୍ୱୟକୁ ସୁବ୍ୟବସ୍ଥିତ କରାଯାଇଥିଲେ ହୁଏତ ଚିନି ଅଭାବକୁ ଏଡ଼ାଯାଇ ପାରିଥାନ୍ତା।
ଏବେ ଇଥାନଲ ଓ ଚିନି ଉତ୍ପାଦନରେ ଆଖୁର ଭୂମିକା ଓ ଅର୍ଥନୀତିକୁ ବୁଝିବା ଉଚିତ।
୧୦୦ କିଲୋଗ୍ରାମ ଆଖୁରୁ ୧୨ କିଲୋଗ୍ରାମ ଚିନି ପ୍ରସ୍ତୁତ ହେଉଥିଲା ବେଳେ ସମ ପରିମାଣର ଆଖୁରୁ ହାରାହାରି ୬ ଲିଟର ଇଥାନଲ ପ୍ରସ୍ତୁତ ହୋଇଥାଏ।
୧୦୦ କେଜି ଆଖୁ ପାଇଁ ଚାଷୀକୁ ପ୍ରାୟ ୪୦୦ ଟଙ୍କା ମିଳିଥାଏ।
ସେହି ଆଖୁ ଇଥାନଲ ତିଆରିରେ ବ୍ୟବହୃତ ହେଲେ ଚାଷୀକୁ କିଛି ଅଧିକ ଟଙ୍କା ମିଳି ନଥାଏ।
ତେଣୁ ପେଟ୍ରୋଲରେ ଇଥାନଲ ମିଶ୍ରଣ ଯୋଗୁଁ ଆଖୁଚାଷୀଙ୍କର ଲାଭ ହେଉଛି ବୋଲି କହିବା ଠିକ୍ ନୁହେଁ।
ଅନ୍ୟ ପକ୍ଷରେ, ୧୦୦ କେ.ଜି.
ଆଖୁରୁ ପ୍ରସ୍ତୁତ ଚିନିର ମୂଲ୍ୟ, କେ.ଜି.
ପ୍ରତି ୫୦ ଟଙ୍କା ଦରରେ, ୬୦୦ ଟଙ୍କା।
ତାହା ବର୍ତ୍ତମାନର କେଜି ପ୍ରତି ୭୦ ଟଙ୍କା ହିସାବରେ ୮୪୦ ଟଙ୍କା ହେଉଛି।
ମାତ୍ର ଇଥାନଲର ଦର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।
ପେଟ୍ରୋଲରେ ମିଶାଇବା ପାଇଁ ତେଲ ବିତରଣ କମ୍ପାନିଗୁଡ଼ିକୁ ଦିଆଯାଉଥିବା (ଆଖୁରସରୁ ତିଆରି) ଇଥାନଲର ଦର ଏବେ ଲିଟର ପ୍ରତି ୭୧ ଟଙ୍କା ୮୬ ପଇସା ରହିଛି; ଅର୍ଥାତ୍ ୧୦୦ କେଜି ଆଖୁରୁ ବାହାରୁଥିବା ୬ ଲିଟର ଇଥାନଲ ପାଇଁ କମ୍ପାନିଗୁଡ଼ିକୁ ମାତ୍ର ୪୩୧ ଟଙ୍କା ଦେବାକୁ ହେଉଥିବ।
ଏହାର ଅର୍ଥ ୧୦୦ କେ.ଜି.ରୁ ବାହାରୁଥିବା ଚିନି ସକାଶେ ଖାଉଟିମାନେ ଯଥେଷ୍ଟ ଅଧିକ ଦେଉଛନ୍ତି।
୨୦୨୫-୨୬ ଇ.ଏସ.ୱାଇ. (ଇଥାନଲ ଯୋଗାଣ ବର୍ଷ)ରେ ୨୦୨୬ ମସିହା ଶେଷ ସୁଦ୍ଧା ଆଖୁରୁ ପ୍ରାୟ ୨୩୮ କୋଟି ଲିଟର ଇଥାନଲ ପ୍ରସ୍ତୁତ ହୋଇଥିଲା, ଯାହା ସମୁଦାୟ ଇଥାନଲର ପ୍ରାୟ ଏକ-ତୃତୀୟାଂଶ।
ତନ୍ମଧ୍ୟରୁ ୧୪୪ କୋଟି ଲିଟର ଇଥାନଲ କେବଳ ଶିରା ଓ ଆଖୁରସରୁ ପ୍ରସ୍ତୁତ ହୋଇଥିଲା।
Rajnath Singh : ନେପାଳ ଦୂତାବାସ ପରିଦର୍ଶନ କଲେ ରାଜନାଥ; କହିଲେ, ନୂଆଦିଲ୍ଲୀ-କାଠମାଣ୍ଡୁ ସୁଖ ଓ ଦୁଃଖର ସାଥୀ କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଚିନି ଦର ବୃଦ୍ଧି ପାଇଛି।
ଜୁଲାଇ ମାସରେ ଚିନିର ଦର ଟନ ପିଛା ୩୨୭ ଡଲାର ଥିଲା ବେଳେ ଅଗଷ୍ଟ ମାସରେ ତାହା ପ୍ରାୟ ୪୦୦ ଡଲାରରେ ପହଞ୍ଚିଲାଣି।
ବ୍ରାଜିଲ, ଭାରତ ଓ ଇଉରୋପୀୟ ୟୁନିଅନରେ ବିଶ୍ୱ ଚିନି ଉତ୍ପାଦନର ୫୦%ରୁ ଅଧିକ ହେଉଥିବାରୁ ଏଠାରୁ ଉତ୍ପାଦନ ସଂକ୍ରାନ୍ତ ପ୍ରତିକୂଳ ଖବର ମିଳିଲେ ଅନ୍ତର୍ଜାତୀୟ ଦର ପ୍ରଭାବିତ ହୋଇଥାଏ।
ଇଉରୋପରେ ମୁଖ୍ୟତଃ ଚିନିଆଳୁରୁ ହିଁ ଚିନି ଉତ୍ପାଦିତ ହୋଇଥାଏ।
ଏ ବର୍ଷ ମାତ୍ରାଧିକ ଗରମ ହେତୁ ଇଉରୋପରେ ଚିନିଆଳୁ ଫସଲର କ୍ଷତି ଘଟିଛି।
ବ୍ରାଜିଲରେ ଉତ୍ପାଦିତ ଆଖୁରୁ ବେଶ୍ କଛି ପରିମାଣ ଇଥାନଲ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଛି।
ଠିକ୍ ଏହି ସମୟରେ ଭାରତରେ ଚିନି ସଙ୍କଟର ମୁକାବିଲା ପାଇଁ ବିଦେଶରୁ ୧୦ ଲକ୍ଷ ଟନ ଚିନି ଆମଦାନିର ନିଷ୍ପତ୍ତି ହେତୁ ଚିନିର ଅନ୍ତର୍ଜାତୀୟ ଭବିଷ୍ୟତ ଚୁକ୍ତି ବଜାର (ଫ୍ୟୁଚର୍ସ ମାର୍କେଟ) ଊର୍ଦ୍ଧ୍ୱମୁଖୀ ହୋଇଛି।
ଫଳରେ ଚିନିର ଅନ୍ତର୍ଜାତୀୟ ଦର ମଧ୍ୟ ପ୍ରାୟ ୨୨-୨୩ ପ୍ରତିଶତ ବୃଦ୍ଧି ପାଇସାରିଲାଣି।
ତେଣୁ, ଆମଦାନି ପରେ ବି ଅକ୍ଟୋବର ଆଗରୁ ଚିନିର ଦର ପୂର୍ବ ସ୍ଥିତିକୁ ଫେରିବା ଆଶା କ୍ଷୀଣ।ଭବିଷ୍ୟତରେ ଚିନିର ଅହେତୁକ ଦର ବୃଦ୍ଧିକୁ ଏଡ଼ାଇବା ପାଇଁ କେତୋଟି ଦିଗ ପ୍ରତି ଗୁରୁତ୍ୱ ଦିଆଯାଇପାରେ।
ଦେଶରେ ଖାଦ୍ୟ ନୀତି ଓ ଇନ୍ଧନ ନୀତି ମଧ୍ୟରେ ଅଧିକ ସମନ୍ୱୟ ଜରୁରି।
ଖାଦ୍ୟ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବା ପରେ ଇଥାନଲ ବିଷୟ ଚିନ୍ତା କରାଯିବା ଉଚିତ।
ଚିନି ରପ୍ତାନି ପାଇଁ କୋଟାକୁ ଏକକାଳୀନ ବର୍ଷିକିଆ ନ କରି ତିନିମାସିଆ କରାଯାଉ।
ପ୍ରତି ତିନି ମାସରେ ଗଚ୍ଛିତ ଚିନି ଭଣ୍ଡାରର ନିରୀକ୍ଷଣ ଓ ସ୍ଥିତି ନବୀକରଣ କରାଯାଇପାରେ।
ଭୌତିକ ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଗଲେ ଅସାଧୁ ମହଜୁଦକାରୀ ସାବାଡ଼ ହେବେ।
ସେମିତି ଆଖୁ ଚାଷକୁ ପ୍ରୋତ୍ସାହନ ଦିଆଯିବା ସହିତ ଚିନିଆଳୁ ବା ସୁଗାର ବିଟ୍ ଚାଷର ପ୍ରଚଳନ ବିଷୟ ଚିନ୍ତା କରାଯାଇପାରେ।
ଏବେ ଆଉ ଗୋଟିଏ କଥା ହେଲା, ମଧୁମେହ ରୋଗକୁ ଏଡ଼ାଇବା ପାଇଁ ମୁଣ୍ଡପିଛା ଚିନି ବ୍ୟବହାରକୁ ଦୈନିକ ୨୫ ଗ୍ରାମ ବା ବାର୍ଷିକ ୯.୧ କେ.ଜି.
ମଧ୍ୟରେ ସୀମିତ ରଖିବାର ପରାମର୍ଶ ଦିଆଯାଇଥାଏ।
ତେଣୁ, ଦରବୃଦ୍ଧି ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ବିଷୟ ଚିନ୍ତା କରି ଭାରତୀୟମାନେ ଚିନିର ବ୍ୟବହାର କମାଇବା ଜରୁରି।
ଭାରତୀୟ ପରିବାରରେ "ଚିନି କମ୍" ହେଲେ ଦରବୃଦ୍ଧି ମଧ୍ୟ ବାଧିବ ନାହିଁ। (ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୦୩୮୦୧୫"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।