Vaibhav Sooryavanshi Impresses With Ball: ଦୁଲୀପ ଟ୍ରଫିରେ ବୈଭବଙ୍କ ଡବଲ୍ ଡିଲାଇଟ୍: ବ୍ୟାଟିଂରେ ଫେଲ୍, ବୋଲିଂରେ ପାସ୍

Aug 25, 2026 - 16:12
Vaibhav Sooryavanshi Impresses With Ball: ଦୁଲୀପ ଟ୍ରଫିରେ ବୈଭବଙ୍କ ଡବଲ୍ ଡିଲାଇଟ୍: ବ୍ୟାଟିଂରେ ଫେଲ୍, ବୋଲିଂରେ ପାସ୍

ଦୁଲୀପ ଟ୍ରଫିରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ନେଇ ଅନେକ ଆଶା ଥିଲା। ମାତ୍ର ୧୫ ବର୍ଷ ବୟସରେ ଇଷ୍ଟ ଜୋନ୍‌ର ଉପଅଧିନାୟକ ହୋଇଥିବା ବୈଭବ ବ୍ୟାଟିଂରେ କିନ୍ତୁ ନିରାଶ କରିଛନ୍ତି। ନର୍ଥ ଇଷ୍ଟ ଜୋନ୍ ବିପକ୍ଷ କ୍ୱାର୍ଟରଫାଇନାଲରେ ସେ ମାତ୍ର ୬ଟି ବଲ୍‌ରୁ ୮ ରନ୍ କରି ଆଉଟ୍ ହୋଇଯାଇଥିଲେ।

ବୈଭବ ଆରମ୍ଭରୁ ଆକ୍ରମଣାତ୍ମକ ଅନ୍ଦାଜ ଦେଖାଇଥିଲେ। ପେସର ବିଶ୍ୱଜିତ କୋନ୍ଥୌଜାମଙ୍କ ଓଭରରେ ଲଗାତାର ଦୁଇଟି ଚୌକା ମଧ୍ୟ ମାରିଥିଲେ। କିନ୍ତୁ ଦ୍ୱିତୀୟ ଓଭରର ଶେଷ ବଲ୍‌ରେ ସେହି ବୋଲରଙ୍କ ଶିକାର ହୋଇ ପ୍ୟାଭିଲିୟନ ଫେରିଥିଲେ।

ବ୍ୟାଟିଂରେ ନିରାଶ କରିଥିଲେ ବି ବୋଲିଂରେ କିନ୍ତୁ ନିଜ ଦମ୍ ଦେଖାଇଛନ୍ତି ଏହି ଯୁବ ତାରକା। ଇଷ୍ଟ ଜୋନ୍ ପ୍ରଥମ ଇନିଂସରେ ୪୬୭ ରନ୍ କରିବା ପରେ ନର୍ଥ ଇଷ୍ଟ ଜୋନ୍‌କୁ ମାତ୍ର ୧୧୧ ରନ୍‌ରେ ଅଲଆଉଟ୍ କରିଥିଲା। ଏହାପରେ ଫଲୋଅନ୍ ଦେଇଥିଲା ଇଷ୍ଟ ଜୋନ୍।

ଦ୍ୱିତୀୟ ଇନିଂସରେ ମଧ୍ୟ ନର୍ଥ ଇଷ୍ଟ ଜୋନ୍‌ର ବ୍ୟାଟିଂ ଧରାଶାୟୀ ହୋଇଛି। ୯୦ ରନ୍‌ରେ ୮ ୱିକେଟ୍ ହରାଇଥିବା ଦଳ ବଡ଼ ସଙ୍କଟରେ ପଡ଼ିଛି। ଏଥିରେ ବୈଭବଙ୍କ ଭୂମିକା ମଧ୍ୟ ରହିଛି। ନିଜ ଲେଫ୍ଟ ଆର୍ମ ସ୍ପିନ୍‌ରେ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇଛନ୍ତି ସେ। ନର୍ଥ ଇଷ୍ଟ ଜୋନ୍‌ର ସର୍ବାଧିକ ସ୍କୋରର କିଶନ ଲିଙ୍ଗଡୋହଙ୍କୁ ୨୫ ରନ୍‌ରେ ଏବଂ ଇମ୍ଲିୱାଟି ଲେମ୍ତୁରଙ୍କୁ ୪ ରନ୍‌ରେ ଆଉଟ୍ କରିଛନ୍ତି ବୈଭବ।

କେବଳ ବୋଲିଂ ନୁହେଁ, ଫିଲ୍ଡିଂରେ ମଧ୍ୟ ବୈଭବଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ସେ ଦୁଇଟି ଚମତ୍କାର କ୍ୟାଚ୍ ମଧ୍ୟ ଧରିଛନ୍ତି। ବିସିସିଆଇ ମଧ୍ୟ ତାଙ୍କ ପ୍ରଦର୍ଶନକୁ ନେଇ ‘ଡବଲ୍ ଡିଲାଇଟ୍’ ବୋଲି ପ୍ରଶଂସା କରିଛି।

ଏହି ମ୍ୟାଚ୍‌ରେ ବୈଭବଙ୍କ ଜର୍ସିକୁ ନେଇ ମଧ୍ୟ ଏକ ରୋଚକ ଦୃଶ୍ୟ ନଜରକୁ ଆସିଛି। ଜର୍ସି ନମ୍ବରର କିଛି ଅଂଶ ଟେପ୍ ଲଗାଇ ଢାଙ୍କି ଦିଆଯାଇଥିବା ବେଳେ କେବଳ ‘୩’ ନମ୍ବରଟି ସ୍ପଷ୍ଟ ଦେଖାଯାଉଥିଲା। ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ବୈଭବ ୩ ନମ୍ବର ଜର୍ସି ପିନ୍ଧୁଥିବାରୁ ଏହା କୌଣସି ଜର୍ସି ପ୍ରିଣ୍ଟିଂ ସମସ୍ୟା ଯୋଗୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ଏହିପରି ଭାବେ ଦୁଲୀପ ଟ୍ରଫି ଡେବ୍ୟୁରେ ବୈଭବଙ୍କ ବ୍ୟାଟ୍ ଚାଲିନଥିଲେ ମଧ୍ୟ, ବୋଲିଂ ଓ ଫିଲ୍ଡିଂରେ ସେ ଦେଇଛନ୍ତି ଦମଦାର ଜବାବ। ବ୍ୟାଟିଂରେ ଫେଲ୍, କିନ୍ତୁ ବୋଲିଂରେ ପାସ୍ ବୈଭବଙ୍କ ଏହି ପ୍ରଦର୍ଶନ ଏବେ ଚର୍ଚ୍ଚାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।