ଛାତ୍ରୀଙ୍କ ମୃତ୍ୟୁ କୁ ନେଇ ଡାକ୍ତରଖାନାରେ ଉତ୍ତେଜନା
ଭାପୁର : ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ମୃତକ ହେଲେ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମବର୍ଷର ଛାତ୍ରୀ ସନ୍ତୋଷୀ ବେହେରା ।
ଘଟନାନୁସାରେ, ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କୁ ଦି' ଦିନ ପୂର୍ବରୁ ଜ୍ୱର ହୋଇଥିଲା । ଆଜି ସକାଳୁ କଲେଜ ଯିବାପାଇଁ ବାହୁରୁଥିବା ବେଳେ ତାଙ୍କର ମୁଣ୍ଡ ବୁଲାଇଥିଲା । ପରିବାର ଲୋକେ ତୁରନ୍ତ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ମଲ୍ଲିକ ଗୋଟିଏ ଇଞ୍ଜେକ୍ସନ ଦେବାପରେ ସନ୍ତୋଷୀଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଝିଅ ଆଖି ନଖୋଲିବାରୁ ତାଙ୍କୁ ଭୁବନେଶ୍ୱର ନେଇଯିବାକୁ ଡାକ୍ତର ସନ୍ତୋଷୀଙ୍କ ବାପାଙ୍କୁ କହିଥିଲେ । ଘଟଣାପରେ ଗୋଳାପୋଖରୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଓ ସମ୍ପର୍କୀୟ ମେଡିକାଲରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ଘଟଣାସ୍ଥଳରେ ଫତେଗଡ ଥାନାଧିକାରୀ ଅଜୟ କୁମାର ସାହୁ, ଭାପୁର ବିଟ ହାଉସ ଅଧିକାରୀ ଶୁଶାନ୍ତ କୁମାର ବେହେରା ଓ ପୋଲିସ କର୍ମଚାରୀ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ବେଳେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।