ପଦାକୁ ଆସିଲା 'ଭୁତ ବଙ୍ଗଳା' ସତ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଖୋଲିଲା ଭୁତ ବଙ୍ଗଳା ର ଭିତିରି କଥା । ଭୁତ ନାଁ ଦେଇ ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଗିରଫ । ପୋଲିସ ଜେରା ପରେ ସତ ଉଗାଳିଛି ଅଭିଯୁକ୍ତ । ଭୁତ ନାଁ ରେ ଭିଣୋଇକୁ ଅତି ନିର୍ମମ ହତ୍ୟା କରିଥିଲା ଶାଳକ । ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଭୁତ ବଙ୍ଗଳାରେ ଘଟିଛି ଏହି ହତ୍ୟାକାଣ୍ଡ । ଭିଣୋଇ ମୋହନୀ ଦାସକୁ ଠେଙ୍ଗାରେ ପିଟି ହତ୍ୟା କରିଛି ଶାଳକ ବ୍ରଜକିଶୋର ଭୋଇ ଓରଫ ବାପି । ଏହାପରେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ଭିଣୋଇଙ୍କ ମୃତ ଦେହକୁ ବଙ୍ଗଳାର ଛାତ ଉପରୁ ତଳକୁ ଠେଲି ଦେଇଥିଲେ । ସେହି ସମୟରେ ଏହି ହତ୍ୟାକାଣ୍ଡକୁ ଭୁତ ଠେଲି ମାରିଥିବା କଥା ପ୍ରଚାର କରାଯାଇଥିଲା । ଏପରିକି ଗୁରୁତର ଅବସ୍ଥାରେ ମୋହନୀ ଦାସଙ୍କୁ ଏମ୍ସ ରେ ନେଇ ଭର୍ତି କରିଥିଲା ବ୍ରଜକିଶୋର । ଏହାପରେ ତାଙ୍କୁ ସେଠାରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତ ଅଗଷ୍ଟ ୧ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ପରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ ଅଭିଯୁକ୍ତ ବ୍ରଜକିଶୋର ଭୋଇଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ ।
ଘଟନାନୁସାରେ, ପାଇକରାପୁରରେ କୁପରିଚିତ 'ଭୂତବଙ୍ଗଳା' ଜାଗା ରଖ ଦାୟିତ୍ୱରେ ଥିଲେ ଅଭିଯୁକ୍ତ ବାପି ଭୋଇ ଏବଂ ତାଙ୍କ ବାପା । ତେବେ ବଙ୍ଗଳାଟି ଜରାଜୀର୍ଣ୍ଣ ଅବସ୍ଥାରେ ଅତିଭୟଙ୍କର ହୋଇଥିବାରୁ ରାତିରେ ସେଠାରେ ବାପି ଭୋଇଙ୍କର ପରିଚିତ ଭିଣୋଇ ମୋହନୀ ଦାସଙ୍କ ସମେତ ଅନ୍ୟ ୪ ଜଣ ମଧ୍ୟ ଆସି ଶୋଉଥିଲେ । ଘଟଣାଦିନ ଅର୍ଥାତ ଅଗଷ୍ଟ ୧ ତାରିଖ ରାତିରେ ବାପି ମଦ ପି' ବା ପରେ ଶୋଇବାକୁ ଆସି ଦେଖିଥିଲେ ଯେ ତାଙ୍କ ଶୋଇବାପାଇଁ ସେଠାରେ ଆଉ ଜାଗା ନଥିଲା । ଏହା ଦେଖି ବାପି ଭୋଇ ନିଶାସକ୍ତ ଅବସ୍ଥାରେ ଏକ ଠେଙ୍ଗା ଆଣି ସମସ୍ତଙ୍କୁ ନିର୍ଘାତ ପିଟିଥିଲା । ଅନ୍ୟ ମାନେ ଧାଇଁ ପଳାଇ ଯାଇଥିବାବେଳେ ବାପି ଭୋଇ ର ଠେଙ୍ଗା ମାଡ଼ରେ ଭିଣୋଇ ମୋହନୀ ଦାସ ଗୁରୁତର ହୋଇ ପଡ଼ିଥିଲେ । ଆହତ ହୋଇଥିବା ଭିଣୋଇଙ୍କୁ ଭୁତ ବଙ୍ଗଳା ଛାତକୁ ଯାଇ ତଳକୁ ଠେଲି ଦେଇଥିଲା ବାପି। ଏହାପରେ ମୋହନୀଙ୍କୁ ଭୁତ ଠେଲି ଦେଇଥିବାକଥା ପ୍ରଚାର କରିଥିଲା । ଏହି ଘଟଣାରେ ପାଇକରାପୁର ରେ ରହୁଥିବା ମୃତକଙ୍କ ପତ୍ନୀ ଚନ୍ଦକା ଥାନାରେ ଏତଲା ଦେଇଥିଲେ ।
ଏତଲା ଆଧାରରେ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଘଟଣାଦିନ ଉପସ୍ଥିତ ଥିବା ଅନ୍ୟ ୪ ଜଣଙ୍କୁ ଜେରା କରିବା ପରେ ବାପି ଭୋଇ ର ସତ ପଦାକୁ ଆସିଥିଲା । ମାମଲାର ତଦନ୍ତ କରି ଅଭିଯୁକ୍ତ ବ୍ରଜ କିଶୋର ଭୋଇକୁ ଗିରଫ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।