Character: ଚରିତ୍ର, ଦାୟିତ୍ୱବୋଧ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପାଇଁ ଶିକ୍ଷା ମହତ୍ତ୍ୱପୂର୍ଣ୍ଣ: ରାଜ୍ୟପାଳ
"ଖୋରଧା: "ଶିକ୍ଷା କେବଳ ଜୀବିକା ନିର୍ବାହ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ନୁହେଁ, ବରଂ ଚରିତ୍ର ଗଠନ, ଦାୟିତ୍ୱବୋଧ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପାଇଁ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।" ଆଜି ଖୋରଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହର ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି ଏହା କହିଛନ୍ତି।
ରାଜ୍ୟପାଳ କହିଛନ୍ତି, ଏହି ଐତିହାସିକ ଅବସର ଶିକ୍ଷା, ଚରିତ୍ର ଗଠନ ଓ ସେବାର ଦୀର୍ଘ ପରମ୍ପରାକୁ ସ୍ମରଣ କରିବାର ଅବସର।
ଏହି ଶିକ୍ଷାନୁଷ୍ଠାନ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ ଗଢ଼ିବା ସହ ଓଡ଼ିଶାର ବୌଦ୍ଧିକ ଓ ସାମାଜିକ ବିକାଶରେ ଅବଦାନ ରଖିଛି।
Advertisment ଅନୁଷ୍ଠାନର ନାମ ଓ ଏହାର ଅବସ୍ଥିତିର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ ବକ୍ସି ଜଗବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
୧୮୧୭ର ପାଇକ ବିଦ୍ରୋହ ସମେତ ଓଡ଼ିଶାର ଇତିହାସରେ ଖୋରଧାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ବୋଲି ସେ କହିଥିଲେ।
ବକ୍ସି ଜଗବନ୍ଧୁଙ୍କ ସାହସ ଓ ତ୍ୟାଗ ଅନ୍ୟାୟ ବିରୋଧରେ ଲଢ଼େଇ ଦେଶସେବା ପାଇଁ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇ ଆସୁଛି ବୋଲି ରାଜ୍ୟପାଳ କହିଥିଲେ।
ରାଜ୍ୟପାଳ କହିଥିଲେ, ଏକ ବିଦ୍ୟାଳୟର ପ୍ରକୃତ ଐତିହ୍ୟ କେବଳ ଏହାର କୋଠା କିମ୍ବା ଉପଲବ୍ଧିରେ ନୁହେଁ, ବରଂ ଏହା ଗଢ଼ି ତୋଳିଥିବା ଜୀବନରେ ପ୍ରତିଫଳିତ ହୁଏ।
ସାହସର ସହ ସ୍ୱପ୍ନ ଦେଖିବା, ସଚ୍ଚୋଟ ଭାବେ ପରିଶ୍ରମ କରିବା ଏବଂ ଶିକ୍ଷକ ଓ ଅଭିଭାବକଙ୍କୁ ସମ୍ମାନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।
ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ୍ର ୧୨୫ତମ ବାର୍ଷିକ ସମାରୋହ ଏହି ଅନୁଷ୍ଠାନ ଆଗାମୀ ଆଉ ୧୨୫ବର୍ଷ ଓ ତା'ପରେ ମଧ୍ୟ ଯୁବପିଢ଼ିକୁ ଗଢ଼ି ତୋଳିବା ସହ ଓଡ଼ିଶାର ବିକାଶରେ ଅବଦାନ ଜାରି ରଖିବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି।
ଇଷ୍ଟର୍ଣ୍ଣ ମିଡ଼ିଆର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ମୂର୍ତ୍ତି ସ୍ଥାପନ କରିବା ବଡ଼ ନୁହେଁ, ବରଂ କୀର୍ତ୍ତି ଅର୍ଜିବା ଗୁରୁତ୍ବପୂର୍ଣ୍ଣ।
ଗଲା ୧୨୫ବର୍ଷ ଭିତରେ ଏ ବିଦ୍ୟାଳୟ ଯେଉଁ ଶହ ଶହ କୀର୍ତ୍ତିମାନଙ୍କୁ ଗଢ଼ିଛି, ତାହା ହିଁ ଏ ବିଦ୍ୟାଳୟର ଅବଦାନ।
ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର, ଶିକ୍ଷକମାନଙ୍କର ଅକ୍ଷୟ କୀର୍ତ୍ତିକୁ ଶ୍ରୀ ପଟ୍ଟନାୟକ କେବଳ ମନେପକାଇ ନାହାନ୍ତି, ବରଂ ନୂଆ ଚରିତ୍ର ଓ ନୂଆ ଇତିହାସ ତିଆରି କରିବା ପାଇଁ ଆହ୍ବାନ ଦେଇଛନ୍ତି।
ଖୋରଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସିଇଓ ଅବସରପ୍ରାପ୍ତ ମେଜର ଜେନେରାଲ ଅସୀମ କୋହଲି, ଉତ୍ସବର ଆୟୋଜକ ସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପ୍ରିୟଦର୍ଶିନୀ ପଣ୍ଡା ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ଅବସରରେ ସ୍ମରଣିକା "ଅବକାଶ" ଉନ୍ମୋଚିତ ହୋଇଥିଲା।
ବିଦ୍ୟାଳୟର ପୁରାତନ ଛାତ୍ର ତଥା ବୈଜ୍ଞାନିକ ରାଜକିଶୋର ପରମଗୁରୁ, ପୂର୍ବତନ ପୁଲିସ ଅଧିକାରୀ ଦେବ ପ୍ରସାଦ ମଜୁମଦାର ଓ ହିମାଂଶୁ ରାୟଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।
ଆଲୁମ୍ନି ଆସୋସିଏସନ୍ର ମୁଖ୍ୟ ସଂଯୋଜକ ବି.କେ.ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉତ୍ସବ କମିଟିର ସଭାପତି ପ୍ରଫେସର ଡ.ନାରାୟଣ ରାଓ ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମ ପୂର୍ବରୁ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ପ୍ରଦର୍ଶନୀ, ୭୨ଫୁଟ ଉଚ୍ଚତାର ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ସେହିପରି ବିଦ୍ୟାଳୟର ତିନି ଜଣ ମହାନ ବ୍ୟକ୍ତି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କ ପ୍ରତିମୂର୍ତ୍ତିକୁ ରାଜ୍ୟପାଳ ଉନ୍ମୋଚନ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।