Wife Doesn't Need Husbands Permission: ବାପା-ମାଆଙ୍କୁ ଭେଟିବାକୁ ସ୍ୱାମୀଙ୍କ ଅନୁମତି ଆବଶ୍ୟକ ନୁହେଁ: ହାଇକୋର୍ଟଙ୍କ ବଡ଼ ରାୟ
ବିବାହ ପରେ ମହିଳାଙ୍କୁ ତାଙ୍କ ବାପାମାଆଙ୍କ ଘରକୁ ଯିବା ପାଇଁ ସ୍ୱାମୀ କି ଶାଶୁ ଘର ଲୋକଙ୍କ ଅନୁମତିର କୌଣସି ଆବଶ୍ୟକ ନାହିଁ। ଏପରି ରାୟ ଶୁଣାଇଛନ୍ତି କର୍ଣ୍ଣାଟକ (Karnataka)ହାଇକୋର୍ଟ। ବିଚାରପତି ଡକ୍ଟର ଚିଲ୍ଲାକୁର ସୁମଲତାଙ୍କ ଖଣ୍ଡପୀଠ ତୁମାକୁରୁ ପରିବାର କୋର୍ଟର ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଶୁଣାଣି ବେଳେ ଏହି ରାୟ ଶୁଣାଇଛନ୍ତି।
ହାଇକୋର୍ଟ କ'ଣ କହିଛନ୍ତି?
Karnataka High Court କହିଛନ୍ତି ଯେ ଜଣେ ମହିଳାଙ୍କୁ ତାଙ୍କ ପିତାମାତାଙ୍କ ଘରକୁ ଯିବା ପାଇଁ ତାଙ୍କ ସ୍ୱାମୀ କିମ୍ବା ଶ୍ୱଶୁର ଘର ଲୋକଙ୍କ ଅନୁମତି ଆବଶ୍ୟକ ନାହିଁ। ଏପରିକି ତାଙ୍କୁ ତାଙ୍କ ଶ୍ୱଶୁର ଘରର ଯତ୍ନ ନେବାକୁ କିମ୍ବା ଘର କାମ କରିବାକୁ ମଧ୍ୟ ବାଧ୍ୟ କରାଯାଇପାରିବ ନାହିଁ। ଜଣେ ମହିଳା ଯେତେବେଳେ ଚାହିଁବେ ତାଙ୍କ ପିତାମାତାଙ୍କୁ ସ୍ୱାଧୀନ ଭାବେ ଭେଟି ପାରିବେ ଏବଂ ବିବାହ ଜଣେ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀଙ୍କ ସ୍ୱାଧୀନତା ଏବଂ ପସନ୍ଦକୁ ନିୟନ୍ତ୍ରଣ କିମ୍ବା ଦମନ କରିବାର ଅଧିକାର ଦିଏ ନାହିଁ। ବିବାହ ପରେ ମଧ୍ୟ ମହିଳାଙ୍କର ନିଜ ପିତାମାତାଙ୍କ ସହ ସମ୍ପର୍କ ରଖିବା ଏବଂ ସେମାନଙ୍କୁ ଭେଟିବାର ଅଧିକାର ରହିଛି। କେବଳ ବିବାହିତ ହୋଇଥିବା କାରଣରୁ ତାଙ୍କ ଏହି ସ୍ୱାଧୀନତା ଉପରେ ରୋକ ଲଗାଯାଇପାରିବ ନାହିଁ।
ସେହିପରି ଆବେଦନ କରିଥିବା ସ୍ୱାମୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ ଘର କାମ କରନ୍ତି ନାହିଁ ଏବଂ ତାଙ୍କ ପିତାମାତାଙ୍କ ଯତ୍ନ ନିଅନ୍ତି ନାହିଁ। ଏହା ଉପରେ କୋର୍ଟ କହିଛନ୍ତି, ଘରର ଦାୟିତ୍ୱ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବା ଉଚିତ। ସ୍ୱାମୀ କିମ୍ବା ଅନ୍ୟ କେହି ବି ମହିଳାଙ୍କୁ ଘର କାମ କରିବାକୁ କିମ୍ବା ତାଙ୍କ ଶାଶୁ ଶ୍ୱଶୁରଙ୍କ ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ। ସେହିପରି ପିତାମାତାଙ୍କ ଯତ୍ନ ନେବାର ପ୍ରାଥମିକ ଦାୟିତ୍ୱ ସେମାନଙ୍କ ପୁଅ ଏବଂ ଝିଅମାନଙ୍କର, ଜ୍ୱାଇଁ କିମ୍ବା ବୋହୂମାନଙ୍କର ନୁହେଁ।
ଏହି ମାମଲାରେ ତୁମାକୁରୁ ପରିବାର କୋର୍ଟ ସ୍ୱାମୀ ପ୍ରତିମାସରେ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅଙ୍କୁ ମୋଟ ₹୯,୦୦୦ ଭରଣପୋଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ସ୍ତ୍ରୀଙ୍କ ପାଇଁ ₹୫,୦୦୦ ଏବଂ ନାବାଳିକା ଝିଅଙ୍କ ପାଇଁ ₹୪,୦୦୦ ରହିଥିଲା। କିନ୍ତୁ ଭରଣପୋଷଣ ରାଶି କମାଇବା ଦାବିରେ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ତାଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।
ହାଇକୋର୍ଟ କହିଛନ୍ତି ଯେ ସ୍ତ୍ରୀ ଓ ନାବାଳିକା ଝିଅଙ୍କ ପାଇଁ ଭରଣପୋଷଣ ବାବଦକୁ ମାସିକ ₹୯,୦୦୦ ଟଙ୍କା ଅତ୍ୟଧିକ ନୁହେଁ। ବର୍ତ୍ତମାନର ମୁଦ୍ରାସ୍ଫୀତି ଓ ଜୀବନଧାରଣ ଖର୍ଚ୍ଚକୁ ଦୃଷ୍ଟିରେ ରଖିଲେ ଏହି ଟଙ୍କା ଯଥେଷ୍ଟ ନୁହେଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।