୩ ବରିଷ୍ଠ ଆଇଏଏସ୍‌ଙ୍କୁ ୩ଜିଲ୍ଲାର ବନ୍ୟା ମୁକାବିଲା ଦାୟିତ୍ୱ

Aug 17, 2026 - 11:25
୩ ବରିଷ୍ଠ ଆଇଏଏସ୍‌ଙ୍କୁ ୩ଜିଲ୍ଲାର ବନ୍ୟା ମୁକାବିଲା ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ଦେଖାଦେଇଛି ବନ୍ୟା ବିତ୍ପାତ । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ନଦୀ ବଢି ସଂଗୀନ ସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ନଜରରେ ରଖି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାକୁ ତୁରନ୍ତ ଗସ୍ତ କରି ବନ୍ୟା ପରିସ୍ଥିତିର ଗ୍ରାଉଣ୍ଡ ମନିଟରିଂ କରିବେ ।

ନିର୍ଦ୍ଦେଶ ଅନୁଯାୟୀ, ଭଦ୍ରକ ଜିଲ୍ଲାର ଦାୟିତ୍ୱ ଆଇଏଏସ୍‌ ସୁଧାଂଶୁ ମୋହନ ସାମଲଙ୍କୁ ଦିଆଯାଇଥିବା ବେଳେ ବାଲେଶ୍ୱର ପାଇଁ ଆଇଏଏସ୍‌ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ପାଇଁ ଆଇଏଏସ୍‌ ପି. ଅନ୍ୱେଷା ରେଡ୍ଡୀଙ୍କୁ ଦାୟିତ୍ୱ ଦିଆଯାଇଛି।ଏହି ଅଧିକାରୀମାନେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ସହଯୋଗ କରିବା ସହ ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ମଧ୍ୟ ପ୍ରଭାବିତ ଅଞ୍ଚଳରେ ତଦାରଖ ଦାୟିତ୍ୱ ଦିଆଯାଇଛି ।

ସେପଟେ, ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହେବା ଯୋଗୁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲାପ୍ରଶାସନ । ଜିଲ୍ଲାର ସମସ୍ତ ଅଙ୍ଗନଓ୍ୱାଡି, ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହାସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ମଧ୍ୟ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।